ମୂଳ ହିନ୍ଦୀ— ସଂଦୀପ ପ୍ରସାଦ
ଅନୁବାଦ-ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ
=============================
ଆମେ ଆଠ ଆଠ ଜଣ ଲୋକ
ଦଉଡି ଚାଲିଛୁ
ଏକ ଅନ୍ଧ ମାରାଥନ ଦୌଡ,
ହାତରେ ନିଜ ନିଜ କବିତା ଧରି
ଗୋଟେ ଆଭାସୀ ପଥରେ ।
ଆଉ ସେଇ ପଥର ଧାରେ ଧାରେ
କେଉଁ ଏକ ରକ୍ତ ରଞ୍ଜିତ କ୍ଷେତ୍ରେ
ଚାରି ଜଣ ବସି ଭାଙ୍ଗି ଦେଉଛନ୍ତି
ଏବେ ଏବେ ସଳଖି ଥିବା
ବହୁ ପୁରୁଣା ଅସଳଖ
ମେରୁଦଣ୍ଡଟିକୁ ।
ସେଇ ଚାରିଜଣ
ଖୁବ୍ ପୁରୁଣା,
ବହୁ ବଳଶାଳୀ ,
ଛକି ଛକି କରିଚାଲିଛନ୍ତି
ମନ ଇଚ୍ଛା କାରବାର ,
ସଭିଏଁ ଦେଖିଲେ ,
ସଭିଏଁ ଭୋଗିଲେ ,
ତଥାପି ଆଣ୍ଠୁ ସନ୍ଧିରେ
ମୁଣ୍ଡ ଗୁଞ୍ଜିଦେଇ ବସି ରହିଲେ ,
ସେମିତି ଥକ୍କା ମାରି ।
ହଁ ଆମେ ଦଉଡି ଚାଲିଛୁ
ମାରାଥନ ଦୌଡ,
ଖେଳୁଛୁ ସୀମା ସରହଦ ,
ସଂସଦକୁ ନେଇ ଖେଳ,
ଫୁଙ୍କି ଚାଲିଛୁ ସମ୍ବାଦ ସୂଚନାର
ଗଞ୍ଜେଇ ନିଶା,
ପିଇ ଚାଲିଛୁ ଦିବ୍ୟ ଚାହାର ରସ ,
ଖାଇ ଚାଲିଛୁ ପକୁଡି ଆଉ ଝାଲମୁଢି,
ଖବରକାଗଜର ସେଇ ପୃଷ୍ଠାରେ
ଯୋଉଠି ଛପିଛି ଖବର
ମୂମୁର୍ଷୁ କୃଷକର ।
ଏତେ ସବୁ କରିବି
ଆମେ କିଛି କହି ପାରିନୁ,
ଚଢାଗଳାର ସ୍ବର ରେ,
ଟିକିଏ ସ୍ବାଭିମାନ ର କଥା ।
କାହିଁକି ???
କାହିଁକିନା ସେଇ ଚାରିଜଣ
କିଳି ଦେଇଛନ୍ତି ଆମର ପାଟି
ରୁନ୍ଧି ଦେଇଛନ୍ତି ଶବ୍ଦ ।
“ଚାରୋଟି “ର ସଂଜ୍ଞା ତ ବହୁତଶୁଣିଛୁ
ହେଲେ ଏ ଚାରିଜଣ କିଏ ???
କ’ଣ ସେମାନେ ପରିପାର୍ଶ୍ଵର
ଚାରୋଟି ଦିଗ ?
ଚାରୋଟି ପୂଣ୍ଯତୀର୍ଥ?
ନା ଜୀବନର ଚାରୋଟି ଦିନ?
ଚାରିବେଦ ?
ଚାରିବର୍ଣ୍ଣ ?
ଚାରି ଆଶ୍ରମ ?
ନା ଏଇସବୁ ଆସନରେ
ଚକାପକେଇ ବସିପଡ଼ିଥିବା
ଚାରି ହତ୍ଯାକାରୀ ???
==================
ଡକ୍ଟର ମମତା ପ୍ରିୟଦର୍ଶିନୀ ସାହୁ, ଓଡିଆ ଅଧ୍ୟାପିକା, ସରକାରୀ ଏସ୍ ଏସ୍ ଡି ,ଏଚ୍ ଏସ୍ ଏସ୍ ,ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟ , ବାଲିଶଙ୍କରା, ସୁନ୍ଦରଗଡ ।