ଚିଲିକା: ଆଜି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ ହୋଇଛି । ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ।
କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା ନିମନ୍ତେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଆଜି ମଇ ୫ ରୁ ୧୯ ତାରିଖ ଲକଡ଼ାଉନ ସମୟ ମଧ୍ୟରେ ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯଦି କେହି ଆସନ୍ତି ତେବେ ତୁରନ୍ତ ୯୪୩୭୩୪୨୮୫୫ କିମ୍ୱା ୯୦୭୮୯୩୪୯୩୪ ନମ୍ବରରେ ପୋଲିସକୁ ଯୋଗାଯୋଗ କରିବା ଲାଗି ଏସଡ଼ିପିଓ ଶ୍ରୀ ବାରିକ ନିବେଦନ କରିଛନ୍ତି। ଏହାପରେ ଉକ୍ତ ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ନିକଟରେ ପୋଲିସ ପକ୍ଷରୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ପହଂଚିବ ବୋଲି ସେ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ପାଇଁ ଏସଡ଼ିପିଓଙ୍କୁ ସ୍ଥାନୀୟ ଅଞ୍ଚଳରେ ଭୁୟସୀ ପ୍ରଶଂସା କରିଛନ୍ତି।