ନୂଆଦିଲ୍ଲୀ: କିଛିଦିନ ତଳେ ସୋସିଆଲ୍ ମିଡିଆରେ ସେନ୍ସେସନ୍ ସାଜିଥିବା ଦିଲ୍ଲୀ ମାଲଭିଆ ନଗରର ଲୋକପ୍ରିୟ ‘ବାବା କା ଢାବା’ର ମାଲିକ କାନ୍ତା ପ୍ରସାଦ ଥାନାର ଦ୍ୱାରସ୍ଥ ହୋଇଛନ୍ତି।ବାବା କା ଢାବା’କୁ ଚର୍ଚ୍ଚାକୁ ଆଣିଥିବା ୟୁଟ୍ୟୁବର ଗୌରବ ବାସନ୍ଙ୍କ ବିରୋଧରେ ସେ ଅଭିଯୋଗ ଆଣିଛନ୍ତି।ସହାୟତା ପାଇଁ ଆସିଥିବା ଆର୍ଥିକ ଅନୁଦାନକୁ ଗୌରବ ହଡ଼ପ କରିଥିବା ନେଇ କାନ୍ତା ଅଭିଯୋଗ କରିଛନ୍ତି। ରବିବାର ପୋଲିସ୍ ଏସମ୍ପର୍କରେ ସୂଚନା ଦେଇଛି।କାନ୍ତା ଅଭିଯୋଗ ଆଣିଛନ୍ତି, ଗୌରବ ଜାଣିଶୁଣି ନିଜର ଓ ନିଜ ପରିବାରର, ସାଙ୍ଗସାଥୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ବିବରଣୀ ଓ ମୋବାଇଲ୍ ନମ୍ବର ଆର୍ଥିକ ସହାୟତା କରିଥିବା ଲୋକଙ୍କ ସହ ଶେଆର କରିଥିଲେ। ଏହାସହ ଆର୍ଥିକ ଅନୁଦାନକୁ ତାଙ୍କ ଅଜାଣତରେ ଗୌରବ ବିଭିନ୍ନ ପେମେଣ୍ଟ ମାଧ୍ୟମରେ ସଂଗ୍ରହ କରିଥିବା କାନ୍ତା ଅଭିଯୋଗ କରିଛନ୍ତି।