ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ ଦୁଇପଦ
- ଦେଶ- ବିଦେଶ ମୁଖ୍ୟ ଖବର ରାଜ୍ୟ ଖବର
- OdishaBuzzTeam
- June 22, 2022
- 0
- 4600
( ଓଡ଼ିଶା ବଜ୍ଜ ବ୍ୟୁରୋ) ଜାତୀୟ ଓ ରାଜ୍ୟ ରାଜନୀତିର ପରିଚିତ ଆଦିବାସୀ ଚେହେରା, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ତାଙ୍କ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ଆନନ୍ଦର ଲହରି ଖେଳିଯାଇଛି। ୧୯୫୮ ମସିହା ଜୁନ୍ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ୍ ଉପରବେଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଦ୍ରୌପଦୀ ମୁର୍ମୁ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡ଼ୁ। ଆଦିବାସୀ ସାନ୍ତାଳୀ ପରିବାରରେ ଜନ୍ମ ହୋଇଥିଲେ ବି ତାଙ୍କ ପାଠପଢ଼ା କ୍ଷେତ୍ରରେ ଆଦୌ ଅବହେଳା କରିନଥିଲେ ପରିବାର ଲୋକ। ଦ୍ରୌପଦୀ ମୁର୍ମୁଙ୍କ ଉଚ୍ଚଶିକ୍ଷା ଭୁବନେଶ୍ବରରେ ଥିଲା। ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ, ରମାଦେବୀ ମହିଳା ମହାବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରିଥିଲେ। ମୟୂରଭଞ୍ଜ ରାଜାଙ୍କ ଦରବାରରେ ରାଜ କର୍ମଚାରୀ ଥିବା ବିରଞ୍ଜି ନାରାୟଣ ଟୁଡୁଙ୍କ ଝିଅ ଦ୍ରୌପଦୀ ଉବରବଡ଼ୋ ପ୍ରାଥମିକ ବିଦ୍ୟାଳୟରୁ ସପ୍ତମ ଶ୍ରେଣୀ ପାସ୍ କରିଥିଲେ। ଏହାପରେ କ’ଣ କରିବେ ସେନେଇ ଚିନ୍ତାରେ ବି ଥିଲେ। ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସିବା ନ୍ୟାୟରେ ତାଙ୍କ ଦାଦା ସ୍ବର୍ଗତ କାର୍ତ୍ତିକ ଚନ୍ଦ୍ର ମାଝୀ ସେତେବେଳେ ମନ୍ତ୍ରୀ ଥିବାରୁ ସେ ତାଙ୍କ ମାର୍ଫତରେ ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ନାମ ଲେଖାଇଥିଲେ। ଆଦିବାସୀ ଛାତ୍ରୀ ନିବାସରେ ରହି ୧୯୭୦ରୁ ୧୯୭୪ ପର୍ଯ୍ୟନ୍ତ ହାଇସ୍କୁଲ ଶିକ୍ଷା ଗ୍ରହଣ କରିଥିଲେ।
ସଫଳତାର ସହ ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ ମଧ୍ୟ କଲେଜରେ ପଢ଼ିବାର ସୁଯୋଗ ପାଇପାରି ନ ଥିଲେ। କାରଣ କଲେଜରେ ପଢ଼ିବାକୁ ଆବେଦନ କରିବା ତାଙ୍କୁ ଜଣା ନ ଥିଲା। ଆଉ ଜାଣିଲା ବେଳକୁ ଆବେଦନର ସମୟ ସୀମା ଶେଷ ହୋଇଯାଇଥାଏ। ତେଣୁ ଗୋଟିଏ ବର୍ଷର ଶିକ୍ଷା ନଷ୍ଟ ହୋଇଗଲା। ପର ବର୍ଷ କିନ୍ତୁ ରମାଦେବୀ ମହିଳା ମହାବିଦ୍ୟାଳୟରେ ପଢ଼ିବାର ସୁଯୋଗ ମିଳିଲା। ଇନ୍ଧିରା ଗାନ୍ଧୀ ଆଦିବାସୀ ଛାତ୍ରୀନିବାସରେ ରହିବା ସହ ମନଧ୍ୟାନ ଦେଇ ପାଠ ପଢ଼ିଲେ। ୪ ବର୍ଷର ଶିକ୍ଷା ମଧ୍ୟରେ କେବେ ଫେଲ୍ ହୋଇ ନ ଥିଲେ। ଆଦିବାସୀ ଝିଅ ହୋଇଥିଲେ ମଧ୍ୟ ଠିକ୍ କଥାରେ କେବେ ବି ପଛଘୁଞ୍ଚା ଦେଉ ନ ଥିଲେ। ମୁହେଁ ମୁହେଁ ଜବାବ୍ ଦେଉଥିଲେ। ସେତେବେଳର ଆଦିବାସୀ ହଷ୍ଟେଲ ମାଟ୍ରନ୍ ବ୍ରଜେଶ୍ବରୀ ମିଶ୍ରଙ୍କ ସ୍ନେହ, ଅର୍ଥନୀତି ଅଧ୍ୟାପିକା କାନନ ମଞ୍ଜରୀ ମିଶ୍ରଙ୍କ ପାଠପଢ଼ା ଶୈଳୀକୁ ସେ ସର୍ବଦା ପ୍ରଶଂସା କରିଛନ୍ତି। ହଷ୍ଟେଲ ମେସ୍ର ପରିଚାଳନା ଦାୟିତ୍ବରେ ବି ସେ ରହିଥିଲେ।
ପାଠ ପଢ଼ିବା ଲାଗି ତାଙ୍କ ଜୀବନ ଥିଲା ସଂଘର୍ଷମୟ। ବାପା ମାସକୁ ମାତ୍ର ୧୦ ଟଙ୍କା ପଠାଉଥିଲେ। ଶସ୍ତା ଯୁଗରେ ମଧ୍ୟ ସେତିକି ନଗଣ୍ୟ ଥିଲା। ଘୋର ଆର୍ଥିକ ଅନଟନ ମଧ୍ୟରେ ଦିନ କାଟୁଥିଲେ। ସାଙ୍ଗମାନେ ଡାକିଲେ ବି ସେ କଲେଜ କ୍ୟାଣ୍ଟିନ୍ ଆଦୌ ଯାଉ ନ ଥିଲେ। କାରଣ ସାଙ୍ଗଙ୍କଠାରୁ ଖାଇବା ସହଜ ଥିଲା। ମାତ୍ର ଖୁଆଇବା ତାଙ୍କ ପକ୍ଷେ ଅସମ୍ଭବ ଥିଲା। ୮ ବର୍ଷ ଧରି ଭୁବନେଶ୍ବରରେ ରହି ପାଠ ପଢ଼ିଥିଲେ ମଧ୍ୟ ବଜାର ବୁଲିବା, ସିନେମା ଦେଖିବା ତାଙ୍କ ପାଇଁ ଅପହଞ୍ଚ ହୋଇପଡ଼ିଥିଲା। ସେ ସମୟରେ ରବି ଟକିଜ୍ ଗୋଟିଏ ମାତ୍ର ସିନେମା ହଲ୍ ରହିଥିଲା। ଯେଉଁଠାରେ ସେ କେବଳ ‘ଗପ ହେଲେ ବି ସତ’ ସିନେମା ଦେଖିଥିଲେ।
ବିଏ ପାସ୍ କରିବା ପରେ ଅଧିକ ପଢ଼ିବା ଲାଗି ତାଙ୍କ ପାଖରେ ଆଉ ସମ୍ଭବ ନ ଥିଲା। ଏହି ସମୟରେ ସଚିବାଳୟରେ ତାଙ୍କୁ ଚାକିରି ମିଳି ଯାଇଥିଲା। ୧୯୭୯ରେ ସଚିବାଳୟରେ ଚାକିରି ପାଇବାର କିଛି ମାସ ମଧ୍ୟରେ ବିବାହ ହୋଇଥିଲା। ବ୍ୟାଙ୍କ ଅଫିସର ଶ୍ୟାମଚରଣ ମୂର୍ମୁଙ୍କ ସହ ତାଙ୍କର ବିବାହ ପରେ ସେ ଦ୍ରୌପଦୀ ଟୁଡ଼ୁରୁ ମୂର୍ମୁ ହୋଇଗଲେ। ମାତ୍ର ସଚିବାଳୟରେ ବେଶି ଦିନ ଚାକିରି କରିବା ତାଙ୍କ ଭାଗ୍ୟରେ ନ ଥିଲା। ପରିବାରରେ ବିଭିନ୍ନ ସମସ୍ୟା ତାଙ୍କ ଚଲାପଥରେ ପ୍ରତିବନ୍ଧକ ସାଜିଲା। ଯେଉଁଥିପାଇଁ ଚାକିରି ଛାଡ଼ି ବୃଦ୍ଧ ଶାଶୁ, ଶ୍ବଶୁରଙ୍କ ଯତ୍ନ ନେବା ଲାଗି ଭୁବନେଶ୍ବରରୁ ଗାଁରୁ ଫେରିଥିଲେ। ପରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷକତା କରିବାର ସୁଯୋଗ ମିଳିଲା ଏବଂ ୧୯୯୪ରୁ ୧୯୯୭ ପର୍ଯ୍ୟନ୍ତ ଚାକିରି କରିଥିଲେ।
ଛାତ୍ରୀ ଜୀବନରୁ ସେ ବେଶ୍ ନିର୍ଭୀକ ଥିଲେ। ପାଠପଢ଼ା ପରେ କୁସୁମୀ ବ୍ଲକ୍ ପାହାଡ଼ପୁର ଗ୍ରାମର ଶ୍ୟାମଚରଣ ମୁର୍ମୁଙ୍କୁ ସେ ବିବାହ କରିଥିଲେ। ରାଜନୀତିରେ ପାଦ ଥାପିବା ଆଗରୁ ସେ ରାଇରଙ୍ଗପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ କିଛି କାଳ ଶିକ୍ଷକତା କରିଥିଲେ। ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଥାପିଥିଲେ। ଭାରତୀୟ ଜନତା ପାର୍ଟିରୁ ରାଜନୈତିକ ଜୀବନ ଆରମ୍ଭ କରିଥିବା ଦ୍ରୌପଦୀ ୧୯୯୬ ମସିହାରେ ରାଇରଙ୍ଗପୁର ଏନ୍ଏସିର ୨ ନଂ ୱାର୍ଡରୁ କାଉନ୍ସିଲର୍ ଭାବେ ବିଜୟୀ ହୋଇଥିଲେ। ପରେ ବିଜେପି ସମର୍ଥନରେ ଏନ୍ଏସି ଉପାଧ୍ୟକ୍ଷା ଆସନରେ ବସିଥିଲେ। ପରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରେ ବିଜେପି ଟିକେଟ୍ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଓଡ଼ିଶାରେ ବିଜେପି ଓ ବିଜେଡି ମେଣ୍ଟ ସରକାର ସମୟରେ ସେ ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ହୋଇଥିଲେ।
୨୦୦୦ରୁ ୨୦୦୨ ମସିହା ଯାଏ ବିଜେଡି-ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ବିଭାଗର ମନ୍ତ୍ରୀ ହୋଇଥିଲେ। ୨୦୦୨ରୁ ୨୦୦୪ ଯାଏ ମତ୍ସ୍ୟ ଓ ପଶୁପାଳନ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ସେ ସମୟରେ ରାଜ୍ୟ ବିଜେପିର ଆଗଧାଡ଼ିର ଚେହେରା ଥିଲେ ଦ୍ରୌପଦୀ। ତେବେ ରାଜନୀତିରେ ସଫଳତାର ଶିଖର ଛୁଇଁଥିଲେ ବି ତାଙ୍କ ପାରିବାରିକ ଜୀବନ ବେଶ୍ ଦୁଃଖମୟ ଥିଲା। ସ୍ବାମୀ ଓ ୨ ପୁଅଙ୍କୁ ଅସମୟରେ ହରାଇଥିଲେ ଦ୍ରୌପଦୀ। ତଥାପି ସେ ରାଜନୀତି ଛାଡ଼ିନଥିଲେ କି ବିଜେପିରୁ ଦୂରେଇ ନଥିଲେ। କ୍ଷମତା ରାଜନୀତିରୁ ବେଶ୍ କିଛି ବର୍ଷ ଦୂରେଇ ରହିବା ପରେ ୨୦୧୫ ମସିହା ମେ ୧୮ ତାରିଖରେ ତାଙ୍କୁ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ପଦରେ ଅଭିଷିକ୍ତ କରିଥିଲା କେନ୍ଦ୍ର ନେତୃତ୍ବାଧୀନ ଏନ୍ଡିଏ ସରକାର। ଜଣେ ଆଦିବାସୀ ଚେହେରାଙ୍କୁ ଏତେ ବଡ଼ ସାମ୍ବିଧାନିକ ପଦରେ ବସାଇ ସେତେବେଳେ ସମସ୍ତଙ୍କୁ ଚମ୍କାଇ ଦେଇଥିଲା ବିଜେପି। ଏପରିକି ୨୦୨୦ରେ ତାଙ୍କ କାର୍ଯ୍ୟକାଳ ସରୁଥିଲେ ବି ୨୦୨୧, ଜୁଲାଇ ୬ ତାରିଖ ଯାଏ ସେ ରାଜ୍ୟପାଳ ପଦରେ ରହିଥିଲେ।