ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ସମ୍ମୁଖରେ ଆଜି ସକାଳେ ଶହ ଶହ ନାଗରିକମାନେ ଧାରଣାରେ ବସିଥିବାର ଦେଖାଯାଇଥିଲା । ଗତକାଲି ଉକ୍ତ ବିଦ୍ୟାଳୟକୁ ପ୍ରଶାସନ ପକ୍ଷରୁ ଟୀକାକରଣ କେନ୍ଦ୍ର ଘୋଷଣା କରାଯାଇଥିଲା । ତେବେ ଗତକାଲୀ ଟୀକାକାରଣ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ସୁରୁଖୁରୁରେ ଚାଲିଥିବାବେଳେ ଆଜି ପୁଣି ଦେଖାଯାଇଛି ବିଶୃଙ୍ଖଳା । ରାତି ୨ ରୁ ଶହ ଶହ ନାଗରିକ ମାନେ ଟୀକା ନେବା ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ ଲାଇନ ଲଗାଇଥିବାବେଳେ ସକାଳ ୫ ଘଣ୍ଟାରେ ଟୀକା ନାହିଁ ବୋଲି ସେମାନଙ୍କୁ ସୂଚନା ମିଳିବାରୁ ଲୋକମାନେ ଏଥିରେ ଉତ୍ୟକ୍ତ ହୋଇ ରାସ୍ତାରେ ଧାରଣାରେ ବସିଥିଲେ । ଲୋକଙ୍କ ଅଭିଯୋଗ ହେଲାକି ଟୀକା ଯଦି ନାହିଁ ତାହାଲେ କେନ୍ଦ୍ର ସମ୍ମୁଖରେ ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ଫଳକ କାହିଁ ମରାଯାଇନାହିଁ । ପ୍ରଚାର ପ୍ରସାର କଣ ପାଇଁ କରାଯାଇନାହିଁ । କଣ ପାଇଁ ଶହ ଶହ ଲୋକ ରାତି ୨ ରୁ ଅପେକ୍ଷା କରିକି ଫେରିକି ଯିବେ । ବହୁ ସମୟ ଧରି ଧାରଣରେ ଜନସାଧାରଣମାନେ ବସିବା ପରେ ବାଣପୁର ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଯାହାଫଳରେ ଧାରଣା ପ୍ରତ୍ୟାହୁତ ହୋଇଥିଲା । ଅନ୍ୟପକ୍ଷେ ମେଡିକାଲ ପ୍ରଶାସନ ପକ୍ଷରୁ ଟୀକା ନାହିଁ ବୋଲି ସୂଚନା ଫଳକ ଫାଟକରେ ମରାଯିବା ପରେ ଲୋକମାନେ ନିରାଶ ହୋଇ ଘରକୁ ଫେରିଯାଇଥିଲେ । ତେବେ ଗତକାଲି ଟୀକାକାରଣ ବ୍ୟବସ୍ଥାର ସୁଚାରୁରୂପେ ପରିଚାଳନାକୁ ନେଇ ସ୍ଥାନୀୟ ପ୍ରଶାସନ ବାଃ ବାଃ ନେଇଥିବା ବେଳେ ଆଜି ଟୀକା ଅଭାବର ସୂଚନାକୁ ଜନସାଧାରଣଙ୍କ ନିକଟରେ ନପହଂଚେଇପାରିବାରୁ ମେଡିକାଲ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।