ଆମେରିକାର ୪୬ତମ ରାଷ୍ଟ୍ରପତି ହେବେ ଡେମୋକ୍ରାଟିକ ପାର୍ଟି ନେତା ଜୋ ବାଇଡେନ୍। ଏହା ଏକପ୍ରକାର ନିଶ୍ଚିତ ହୋଇଥିଲାବେଳେ କେବଳ ଔପଚାରିକ ଘୋଷଣା ବାକି ରହିଛି। ଅପରପକ୍ଷରେ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ୍ ଆମେରିକାର ପ୍ରଥମ ମହିଳା ଓ କୃଷ୍ଣକାୟ ଉପରାଷ୍ଟ୍ରପତି ହେବା ମଧ୍ୟ ନିଶ୍ଚିତ ହୋଇଛି। ଏନେଇ ସିଏନଏନ ରିପୋର୍ଟ ପ୍ରକାଶ କରିଛି।ରାଷ୍ଟ୍ରପତି ହେବାକୁ ୨୭୦ ଇଲେକ୍ଟରାଲ ଭୋଟ ଆବଶ୍ୟକ ଥିବାବେଳେ ବାଇଡେନ୍ ୨୯୦ଟି ଇଲେକ୍ଟରାଲ ଭୋଟ ଜିତି ବିଜୟ ହାସଲ କରିଛନ୍ତି। ଏହାପରେ ସେ ଟୁଇଟ୍ କରି କହିଛନ୍ତି, “ମୁଁ ସମସ୍ତ ଆମେରିକୀୟଙ୍କ ରାଷ୍ଟ୍ରପତି ହେବି। ଆପଣ ମତେ ଭୋଟ୍ ଦେଇଥାଆନ୍ତୁ, କି ନ ଦେଇଥାଆନ୍ତୁ। ଆପଣମାନେ ମୋ ଉପରେ ପ୍ରକଟ କରିଥିବା ଆସ୍ଥା ମୁଁ ବଜାୟ ରଖିବି।”ପୂର୍ବରୁ ବାରାକ୍ ଓବାମାଙ୍କ ସରକାରରେ ବାଇଡେନ ଉପରାଷ୍ଟ୍ରପତି ଥିଲେ। ଏହି ନିର୍ବାଚନ ଫଳାଫଳ ସହ ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରୁ ବିଦାୟ ନେବା ନିଶ୍ଚିତ ହୋଇଛି। ଦୀର୍ଘ ୨୮ ବର୍ଷ ପରେ କୌଣସି ନିର୍ବାଚିତ ରାଷ୍ଟ୍ରପତି ପୁନଃ-ନିର୍ବାଚନରେ ହାରିଛନ୍ତି। ପୂର୍ବରୁ ଜର୍ଜ ବୁଶ୍(ସିନିୟର) ୧୯୯୨ରେ ପୁନଃ-ନିର୍ବାଚନ ହାରିଯାଇଥିଲେ। ତାଙ୍କୁ ପରାଜିତ କରି ଡେମୋକ୍ରାଟିକ ଦଳର ବିଲ କ୍ଲିଣ୍ଟନ ନିର୍ବାଚନ ଜିତିଥିଲେ।