କଟକ: ଜିଲ୍ଲାରେ ଆସନ୍ତାକାଲି ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ନିମନ୍ତେ ସମସ୍ତ ପ୍ରସ୍ତୁତି
ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା।ଆସନ୍ତା ସପ୍ତାହ ମଧ୍ୟରେ ୧୯୧୮୧ ଜଣଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ସଫଳତାର ସହ ଟୀକାକରଣ ହୋଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ। ବିଶେଷ କରି ୪ଟି କେନ୍ଦ୍ରରେ ଶତ ପ୍ରତିଶତ ଟୀକାକରଣ ହୋଇଥିବା ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆସନ୍ତା କାଲି ତଥା ଆଗାମୀ ଦିନମାନଙ୍କରେ ଟୀକାକରଣ କେନ୍ଦ୍ର ମାନଙ୍କରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଯିବା ସହ ଡାକ୍ତରୀ ଦଳ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଶତ ପ୍ରତିଶତ ହାସଲ କରିବା ଉଦ୍ଦେଶ୍ୟରେ ତତ୍ପରତାର ସହ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ କହିଥିଲେ। ବୈଠକରେ ସି ଏମ ସି କମିଶନର ଅନନ୍ୟା ଦାସ ଟୀକା ସେଶନକୁ ବଢାଇବା ସମ୍ପର୍କରେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସି ଡିଏମଓ ଡ଼ା ସତ୍ୟବ୍ରତ
ଛୋଟ ରାୟ, ଡ଼ା ଉମେଶ ରାୟ, ସିଟି ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସତ୍ୟବ୍ରତ ମହାପାତ୍ରଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।